ଭୁବନେଶ୍ୱର: ଇକୋସିଷ୍ଟମ ବୃଦ୍ଧି ଉପରେ ଗବେଷଣା ପାଇଁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସହ ରାଜ୍ୟ ସରକାର ଆଜି ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି । ପରିବେଶ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ, କୃଷି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଦି କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣାକୁ ଏହା ପରିବର୍ଦ୍ଧିତ କରିବ । ଏହାଦ୍ୱାରା ରାଜ୍ୟରେ ଅଧିକ କର୍ମନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ । ଏଥିସହ ଭୁବନେଶ୍ୱରରେ ସେଣ୍ଟର ଅଫ ଏକ୍ସଲେନ୍ସ ସ୍ଥାପନ ପାଇଁ ଫ୍ରୋଷ୍ଟ ଏବଂ ସୁଲିଭାନ ଫାର୍ମ ଆଗ୍ରହ ପ୍ରକାଶ କରିଛି । ହାଇଟେକ ଏରିଆ ପାଇଁ ହଜାରେ ଗବେଷକଙ୍କୁ ଟ୍ରେନିଂ ଦିଆଯିବ । ସେଣ୍ଟରରେ ୫୦ ହଜାର ଯୁବକଯୁବତୀଙ୍କୁ ଟ୍ରେନିଂ ସୁବିଧା ରହିବ ।
ଆମେରିକାର ସିଲିକନ ଭ୍ୟାଲି ଗସ୍ତରେ ଥିବା ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ଆଜି ବିଭିନ୍ନ ଅନୁଷ୍ଠାର ପ୍ରତିନିଧିମାନଙ୍କୁ ଭେଟି ସିରିଜ୍ ଆଲୋଚନା କରିଛନ୍ତି । ଏହି ପ୍ରତିନିଧି ଦଳ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଫିସର ସେଣ୍ଟର ଫର ବିଜିନେସ୍ ଆନାଲିଟକସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମି. ଗଉଥିର୍ ବାସେର, ଆକ୍ଟିଂ ଡିନ୍ ଡ. ଡନ୍ ମୁରେଙ୍କ ସମେତ ବିଶ୍ୱବିଦ୍ୟାଳୟର ଫାକଲିଟି ମେମ୍ବରମାନଙ୍କ ସହ ଆଲୋଚନା କରିଥିଲେ ।
ଏହାପରେ ଫ୍ରୋଷ୍ଟ ଓ ସୁଭିଲିଆନ ଗ୍ଲୋବାଲ୍ କନସଲଟିଂ ଆଣ୍ଡ ଆଡଭାଇଜରି ଫାର୍ମ ଅଧ୍ୟକ୍ଷ ଡେଭିଡ୍ ଫ୍ରିଗଷ୍ଟଡଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଭୁବନେଶ୍ୱରରେ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ସ୍ଥାପନ ପାଇଁ ସେ ଆଗ୍ରହ ଦେଖାଇଛନ୍ତି ।
ପ୍ରତିନିଧି ଦଳ ସ୍କାଏ ୱାର୍କ୍ସ ସଲ୍ୟୁସନର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଏବଂ ଜେନେରାଲ୍ ମ୍ୟାନେଜରଙ୍କୁ ଭେଟି ଆଲୋଚନା କରିଥିଲେ । ଭାରତରେ ପୁଞ୍ଜି ଖଟାଇବାକୁ ଆଗ୍ରହ ରଖିଥିବା ଏହି ସଂସ୍ଥାକୁ ଭୁବନେଶ୍ୱରକୁ ନିମନ୍ତ୍ରଣ କରିଥିଲେ । ଓଡ଼ିଶାରେ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଫାସିଲିଟି ସ୍ଥାପନ କରିବାକୁ ପ୍ରତିନିଧି ଦଳ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ଆମେରିକା ଗସ୍ତରେ ଯାଇଥିବା ଏହି ପ୍ରତିନିଧି ଦଳରେ ଅଛନ୍ତି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିସନର ଅନୁ ଗର୍ଗ, ୫-ଟି ସଚିବ ଭି.କେ.ପାଣ୍ଡିଆନ୍, ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନୀଲ୍ କ୍ରିଷ୍ଣା ପ୍ରମୁଖ । ଆମେରିକା ଓ ଓଡିଶା ମଧ୍ୟରେ ସାମାଜିକ-ଅର୍ଥନୈତିକ ସମ୍ପର୍କ ମଜବୁତ କରିବା ସହ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ହେଉଛି ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । ଗତକାଲି ସିଲିକନ ଭ୍ୟାଲିରେ ଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସର ଶିଳାନ୍ୟାସ କରାଯାଇଥିଲା ।








