ଭୁବନେଶ୍ୱର(ଓଡ଼ିଶା ନ୍ୟୁଜ୍): ରାଜ୍ୟସଭାର ୪ ଟି ଆସନରୁ ଦୁଇଟି ବିଜେପି ଏବଂ ଗୋଟିଏ ବିଜେଡି ଖାତାକୁ ଯିବା ସୁନିଶ୍ଚିତ ଥିବା ବେଳେ ଚତୁର୍ଥ ଆସନ ପାଇଁ ଜୋରଦାର କସରତ ଚାଲିଛି । ଏହି ଆସନ ଲାଗି କାହାର ଆବଶ୍ୟକ ସଂଖ୍ୟା ନାହିଁ । ବିଜେପି ଏବଂ ବିଜେଡି ମଧ୍ୟରେ ସହମତି ସୂତ୍ରରେ ଜଣେ ନିର୍ବିବାଦ ବ୍ୟକ୍ତିଙ୍କୁ ଏହି ଆସନ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା ବେଳେ ପିସିସି ସଭାପତି ଭକ୍ତ ଚରଣ ଦାସ କିନ୍ତୁ ଚତୁୁରତାର କାର୍ଡ ଖେଳିଛନ୍ତି ।
କଂଗ୍ରେସ ବିଧାୟକ ସତ୍ୟଜିତ୍ ଗମାଙ୍ଗ ଆଜି ବିଧାନସଭା ପ୍ରକୋଷ୍ଠରୁ ୩ ସେଟ୍ ନାମାଙ୍କନ ଫର୍ମ ନେଇଥିଲା ବେଳେ ଚତୁର୍ଥ ଆସନ ଲାଗି ପ୍ରାର୍ଥୀ ଦିଆଯିବ ବୋଲି ଭକ୍ତ ଘୋଷଣା କରିଛନ୍ତି । ଏକ ୫ ଜଣିଆ ପ୍ରାର୍ଥୀ ତାଲିକା ଧରି ଆଜି ସେ ଦିଲ୍ଲୀ ଯାଇଛନ୍ତି । ହାଇକମାଣ୍ଡଙ୍କ ସହ କଥା ହୋଇ ଜଣଙ୍କ ନାଁ ଚୂଡ଼ାନ୍ତ କରାଯିବ । ଏହି ତାଲିକାରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି ପ୍ରଫେସର ପ୍ରଭାତ ପଟ୍ଟନାୟକ, ଆଡଭୋକେଟ୍ ପି.କେ ରାଏ, ଲଳିତ ମାନସିଂହ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଏବଂ ଦତ୍ତେଶ୍ୱର ହୋତାଙ୍କ ନାଁ ରହିଛି ।
ଦିଲ୍ଲୀ ଯିବା ପୂର୍ବରୁ ଭକ୍ତ କହିଛନ୍ତି ଯେ କଂଗ୍ରେସ କୌଣସି ରାଜନୈତିକ ଅଭିସନ୍ଧି ରଖି ପ୍ରାର୍ଥୀ ଦେବାକୁ ଚାହୁଁନାହିଁ । ଓଡ଼ିଶାର ମର୍ଯ୍ୟାଦା ରକ୍ଷା ପାଇଁ ସ୍ୱାଧୀନ ଚିନ୍ତାରେ ବିଶ୍ୱାସ କରୁଥିବା ଜଣେ ପ୍ରତିଭାସମ୍ପନ୍ନ ବ୍ୟକ୍ତି ରାଜ୍ୟସଭା ଯାଆନ୍ତୁ ବୋଲି ଚାହୁଁଛି । ବିଜେଡି-କଂଗ୍ରେସ ଚାହିଁଲେ ଏଭଳି ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଯାଇପାରିବ । ଦିଲ୍ଲୀରୁ ଫେରିଲା ପରେ ସେ ବିଜେଡିର ସମର୍ଥନ ଲୋଡ଼ିବେ ବୋଲି କହିଛନ୍ତି ।
ଏପଟେ ଚତୁର୍ଥ ଆସନ ଲାଗି ପ୍ରାର୍ଥୀ ଦେବାକୁ ବିଜେଡି ମଧ୍ୟ କ୍ଷେତ୍ର ପ୍ରସ୍ତୁତ କରୁଛି । ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ନବୀନ ନିବାସରେ ଦଳୀୟ ବିଧାୟକମାନଙ୍କର ଏକ ବୈଠକ ଡାକିଥିଲେ । ଏଥିରେ ଦଳର ସାଂଗଠନିକ ସ୍ଥିତି ସମ୍ପର୍କରେ କେବଳ ଆଲୋଚନା ହୋଇଛି । ସମସ୍ତେ ଏକଜୁଟ୍ ହୋଇ କାମ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି । ବୈଠକରେ ରାଜ୍ୟସଭା ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା ହୋଇନାହିଁ ବୋଲି ବୈଠକରୁ ଫେରିଲା ପରେ ବିଧାୟକମାନେ ପ୍ରତିକ୍ରିୟା ଦେଇଛନ୍ତି । ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ବୈଠକ ବସିବ ବୋଲି ସେମାନେ କହିଛନ୍ତି ।
ସୂଚନାଥାଉକି, ଗତକାଲି ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ରାଜ୍ୟସଭା ପ୍ରାର୍ଥୀ ଚୟନ ନିଷ୍ପତ୍ତି ନବୀନଙ୍କ ଉପରେ ଛାଡ଼ି ଦିଆଯାଇଥିଲା । ଆଜି ବିଧାୟକମାନଙ୍କ ବୈଠକ ପରିପ୍ରେକ୍ଷୀରେ ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି ଜଣାପଡ଼ିଛି । ତେବେ ବିଜେଡି ଭାଗରେ ପଡୁଥିବା ଗୋଟିଏ ଆସନ ଲାଗି ପ୍ରାର୍ଥୀ ଘୋଷଣା ହେବ ନା ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ ତାହାକୁ ସମସ୍ତଙ୍କର ଅପେକ୍ଷା ରହିଛି । ଗତକାଲି ଦଳର ସାଂସଦ ଡ. ସସ୍ମିତ ପାତ୍ର ୬ ସେଟ୍ ନାମାଙ୍କନ ଫର୍ମ ନେଇଥିବାରୁ ସସପେନ୍ସ ବଢ଼ିଛି ।
ସେହିଭଳି ଦୁଇଟି ଆସନ ସହ ଚତୁର୍ଥ ଆସନ ହାତେଇବା ପାଇଁ ବିଜେପିର ଦିଲ୍ଲୀ କସରତ୍ ଚାଲିଛି । ବିଜେପିକୁ ଏହି ଚତୁର୍ଥ ଆସନ ଦଖଲ ପାଇଁ ଆଉ ୮ ଟି ଭୋଟ ଦରକାର ପଡ଼ିବ । ବିଜେଡିରୁ ଦୁଇ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କ ସମର୍ଥନ ପାଇଲେ ତାହା ୬କୁ ଖସି ଆସିବ । ଏଭଳିସ୍ଥିତିରେ ବିଜେପି ହାତରେ ଦୁଇଟି ବିକଳ୍ପ ରହିଛି । ପ୍ରଥମ, ବିଜେଡି ବିରୋଧ ନ କଲା ଭଳି ଏକ ନିର୍ବିବାଦ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିପାରେ । ଦ୍ୱିତୀୟ, କ୍ରସ୍ ଭୋଟିଂ ଭରସାରେ ଲଢ଼େଇ କରିପାରେ । ତେବେ ଏ ପର୍ଯ୍ୟନ୍ତ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ଜଣାପଡ଼ିନାହିଁ ।
ସେପଟେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଦଳର ନୂତନ ଅଧ୍ୟକ୍ଷ ନିତିନ ନବୀନଙ୍କୁ ଭେଟିଛନ୍ତି । ଦଳୀୟ ସଂଗଠନକୁ ମଜବୁତ କରିବା ଏବଂ ସମନ୍ୱୟ ରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଥିଲେ ମଧ୍ୟ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଓଡ଼ିଶାରୁ ନିତିନି ନବୀନ ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି କିଛି ମହଲରେ ଚର୍ଚ୍ଚା ହେଉଛି । ହେଲେ ତାଙ୍କ ନିଜ ରାଜ୍ୟ ବିହାରରେ ୫ଟି ରାଜ୍ୟସଭା ଆସନ ଖାଲି ହେଉଥିବା ବେଳେ ସେ ଓଡ଼ିଶାରୁ କାହିଁକି ରାଜ୍ୟସଭା ଯିବେ ବୋଲି ପ୍ରଶ୍ନ ଉଠୁଛି ।
ଯାହା ବି ହେଉ, ରବିବାର ସୁଦ୍ଧା ରାଜ୍ୟସଭା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ତିନି ପ୍ରମୁଖ ଦଳରୁ ସୂଚନା ମିଳିଛି ।
Continue Reading







