ଭୁବନେଶ୍ୱର: ତୃଣମୂଳସ୍ତରରେ ଦଳକୁ ବିଭାଜନ ଓ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କୋଣାର୍କର ପୂର୍ବତନ ମଣ୍ଡଳ ସଭାପତି ତଥା ପୁରୀ ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ସୁରେନ୍ ପାଲ ଏବଂ ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ର କାର୍ଯ୍ୟକାରିଣୀ ସଭ୍ୟ ପ୍ରଶାନ୍ତ ସ୍ୱାଇଁଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି । ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି । ଖାଲି ନିଲମ୍ବନ କରିନାହାନ୍ତି, ସେମାନଙ୍କୁ ଦଳରୁ ବହିଷ୍କାର ପାଇଁ ରାଜ୍ୟ ସଭାପତିଙ୍କୁ ସୁପାରିଶ କରିଛନ୍ତି ।

ଏହି କାର୍ଯ୍ୟାନୁଷ୍ଠାନ ପଛରେ ରହିଛି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମନମାନି ଏବଂ ତୃଣମୂଳସ୍ତରରେ ଦଳକୁ ବିଭାଜନ ଉଦ୍ୟମର ଭିତିରି କଥା । ଦଳୀୟ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ସ୍ଥାନୀୟ ଅଞ୍ଚଳର ସଂପୃକ୍ତ ଦୁଇ ନେତା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କୋଣାର୍କ କାର୍ଯ୍ୟକ୍ରମ ଆୟୋଜନରେ ମୁଖ୍ୟ ସହଯୋଗୀ ଥିବା କୁହାଯାଉଛି । ଏହା ଦଳୀୟ କାର୍ଯ୍ୟକ୍ରମ ନ ଥିଲା କି ଅପରାଜିତା ଏହି କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ସ୍ଥାନୀୟ ଦଳୀୟ ନେତୃବୃନ୍ଦଙ୍କୁ ସାମିଲ କରି ନ ଥିଲେ । ସୁରେନ୍ ଓ ପ୍ରଶାନ୍ତଙ୍କ ଭଳି ତାଙ୍କର ବଛା ବଛା ସମର୍ଥକଙ୍କୁ ଆଗରେ ରଖି ଅପରାଜିତା ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।








