ଭୁବନେଶ୍ୱର: କିଏ ସେହି ଜୟସ୍ୱାଲ୍? କିଏ ସେହି ସୁପର୍ ଚିଫ୍ ମିନିଷ୍ଟର୍? କିଏ ସେହି ଭଦ୍ରବ୍ୟକ୍ତି ଯିଏ କେନ୍ଦୁଝର ଜିଲ୍ଲାରେ ୩୦୦ ଏକର ଜାଗା କିଣିସାରିଲେଣି? ଆଜିକାଲି କେବଳ ପ୍ରେସମିଟ୍ ରେ ସୁକୁ ସୁକୁ ହେଉଥିବା ବିଜେଡିର ମୁଖପାତ୍ର ଆଜି ଏହି ପ୍ରଶ୍ନ ଉଠାଇଛନ୍ତି । ସାମ୍ବାଦିକମାନେ ତାଙ୍କୁ ଓ ତାଙ୍କର କାରବାର ଖୋଜି ବାହାର କରିବାକୁ ଟିହାଇଛନ୍ତି ।
ପ୍ରେସ୍ ମିଟ୍ ର ବିଷୟବସ୍ତୁ ଖୋଜିବାକୁ ଯାଇ ମୁଖପାତ୍ର ମହାଶୟ ବାଉଳାରେ ଏମିତି କହିଛନ୍ତି ନା ପ୍ରକୃତ ତଥ୍ୟ ଆଧାରରେ ଏଭଳି କହିଛନ୍ତି ତାହା ଜଣାପଡ଼ିନାହିଁ । ଯଦି ତଥ୍ୟ ଅଛି ତେବେ ତାକୁ ସାମ୍ବାଦିକମାନଙ୍କୁ ଜଣାଇବାରେ ଅସୁବିଧା ରହିଲା କେଉଁଠି? ସାମ୍ବାଦିକମାନେ ଖାଲି ଖୋଲିବେ, ଆପଣ ଖୋଲିବେ ନାହିଁ କାହିଁକି? ବିରୋଧୀ ଦଳ ଭାବରେ ଆପଣଙ୍କର କ’ଣ ସେହି ଦାୟିତ୍ୱ ନୁହେଁ? କି ଭାଇ-ଭାଇର ସମ୍ପର୍କ ଦ୍ୱାହିରେ ତଥ୍ୟ ଖୋଲିବାକୁ ସାହାସ ହୋଇନି, ଏମିତି ପାଟିରୁ ବାହାରି ପଡ଼ିଛି । ଯଦି ଗୁଲିଗପ, ତା’ର ପରିଣାମ କେତେ ଭୟଙ୍କର ବିଜେଡି ଜାଣିବା ଦରକାର । କାରଣ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଏହା ଷଡ଼ଯନ୍ତ୍ର । ଏହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇପାରେ ।
ଆମ ଜାଣିବାରେ ବିଜେଡିର ଖଣି ମାଫିଆ ରାଜା ଚକ୍ର ଗିରଫ ଘଟଣା ସମୟରେ ପୃଥକ୍ ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଏବଂ ଜୟଦେବ ଜେନା କିଛି ଗୁରୁତର ଅଭିଯୋଗ ଆଣିଥିଲେ । ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଅଣ ଓଡ଼ିଆ ଖଣି ମାଫିଆମାନଙ୍କ ଭାଗ୍ୟ କୁଆଡ଼େ ଖୋଲିଯାଇଛି । ସେମାନଙ୍କ ଏକଚାଟିଆ କାରବାର ଯୋଗୁଁ ସ୍ଥାନୀୟ ଯୁବକମାନେ ନିଯୁକ୍ତି ଏବଂ କର୍ମସଂସ୍ଥାନରୁ ବଞ୍ଚିତ ହୋଇଥିବା ସେମାନେ ଅଭିଯୋଗ କରିଥିଲେ ।
ଏହି ଦୁଇ ବରିଷ୍ଠ ନେତାଙ୍କ ସୌଜନ୍ୟରୁ ରାଜେଶ ଜୟସ୍ୱାଲ୍ ଏବଂ ମାତା ଜୟସ୍ୱାଲ୍ ନାମଧାରୀ ଦୁଇ ବ୍ୟକ୍ତିଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ସେମାନଙ୍କୁ ଖଣି ମାଫିଆ ଆଖ୍ୟା ଦିଆଗଲା । କେନ୍ଦୁଝର ଜିଲ୍ଲାରେ ଖଣିଜ ଦ୍ରବ୍ୟର ପରିବହନ ଏବଂ ରପ୍ତାନୀ କୁଆଡ଼େ ଏହି ଦୁହିଁଙ୍କ ହାତରେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏହି ଦୁଇ ଜୟସ୍ୱାଲ୍ ଙ୍କ ତଥାକଥିତ ଏକଚାଟିଆ ଖଣି କାରବାର ଅଳ୍ପ କିଛି ମିଡିଆରେ ଦିନେ ଓଳିଏ ଚର୍ଚ୍ଚା ହେଲା । ତେବେ କଥା ଆଉ ଆଗକୁ ବଢ଼ିଲାନି । ବିରୋଧୀ ଦଳ ପକ୍ଷରୁ ମଧ୍ୟ ଆଉ କାହାରି ପାଟି ଫିଟିଲା ନାହିଁ ।
ଏହା ଉପରେ ଆମର ଅନୁସନ୍ଧାନ ଆରମ୍ଭ ହୋଇଛି । ଆଜି ବିଜେଡି ମୁଖପାତ୍ର ସେଇ ଜୟସ୍ୱାଲ୍ ଙ୍କ କଥା କହିଛନ୍ତି ନା ଆଉ କିଏ ତାହା ସ୍ପଷ୍ଟ ହୋଇନାହିଁ । ମାତ୍ର ତାଙ୍କର ଇସାରା ସତ ହୋଇଥିଲେ ନିଶ୍ଚୟ ସାଂଘାତିକ ।
Continue Reading







