ଭୁବନେଶ୍ୱର: ଲକ୍ ଡାଉନ୍ ଯୋଗୁଁ ବାହାର ରାଜ୍ୟରେ ଅଟକି ରହିଛନ୍ତି ୧ ଲକ୍ଷ ଓଡ଼ିଆ । ତେବେ କାହାରିକୁ ଅସୁବିଧାରେ ନ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି । ଏହି ପ୍ରବାସୀ ଓଡ଼ିଆଙ୍କ ଅସୁବିଧା ବୁଝି ସହାୟତା ଯୋଗାଇ ଦେବାକୁ ଲୋକସେବା ଭବନରେ ଖୋଲାଯାଇଛି କୋଭିଡ୍-୧୯ ମଲ୍ଟି ଡିପାର୍ଟମେଣ୍ଟାଲ୍ କଲ୍ ସେଣ୍ଟର । ୨୦ ଲାଇନ୍ ବିଶିଷ୍ଟ ଏହି କଲ୍ ସେଣ୍ଟର୍ ଦାୟିତ୍ୱ ବୁଝୁଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ତଥା ଆଇଜି(ଅପରେସନ୍) ଅମିତାଭ ଠାକୁର । ଗୃହ ସଚିବ ସଞ୍ଜୀବ ଚୋପ୍ରା, କୋଭିଡ୍-୧୯ ମୁକାବିଲା ଓଏସଡି ବିଶାଲ ଦେବ ଏହାର ତତ୍ତ୍ୱାବଧାନ କରୁଛନ୍ତି ।
ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ଏହି କଲ୍ ସେଣ୍ଟର ଯାଇ କାର୍ଯ୍ୟର ସମୀକ୍ଷା କରିଥିଲେ । ଫୋନ୍ କରୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ନିଜେ କଥା ହୋଇଥିଲେ । ମୁଖ୍ୟ ଶାସନ ସଚିବ କହିଛନ୍ତି, କଲ୍ ସେଣ୍ଟର ହେବା ପୂର୍ବରୁ ଆମେ ୮୪୩ ଟି କଲ୍ ପାଇଥିଲୁ । ମାତ୍ର କଲ୍ ସେଣ୍ଟର୍ ହେବା ପରେ ୧୮୬୦ କଲ୍ ପାଇଲୁଣୁ । ରାଜ୍ୟ ବାହାରେ ଲକ୍ଷାଧିକ ଲୋକ ଫସିଥିବା ବେଳେ ୫ଟି ରାଜ୍ୟ ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ଗୁଜୁରାଟ ଓ ମହାରାଷ୍ଟ୍ରରୁ ଅଧିକ ଫୋନ୍ କଲ୍ ଆସୁଛି । ଫସି ରହିଥିବା ଓଡ଼ିଆଙ୍କ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ଅଧିକ ଲୋକ ଅଛନ୍ତି ।
ଲୋକମାନେ ନିଜ ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଏହି ଲକ୍ ଡାଉନ୍ ସମୟରେ କେହି ବାହାରକୁ ନଯିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଥିବାରୁ, ଯିଏ ଯେଉଁଠି ଅଛନ୍ତି ସେଇଠି ରହିବାକୁ କୁହାଯାଉଛି । ସଂପୃକ୍ତ ରାଜ୍ୟ ସରକାର ସେମାନଙ୍କ ରହିବା, ଖାଇବାପିଇବା ବନ୍ଦୋବସ୍ତ କରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଅରୁଣ ସାହୁ, ବିଧାୟକ ଦେବୀପ୍ରସାଦ ମିଶ୍ର ଏବଂ ଅତନୁ ସବ୍ୟସାଚୀଙ୍କୁ ଦାୟିତ୍ୱ ଦିଆଯାଇଛି ।