ନୂଆଦିଲ୍ଲୀ: କାନପୁରର କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେକୁ ମାରିଦେଲା ୟୁପି ପୁଲିସ । ପୁଲିସ ହାତରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଏନକାଉଣ୍ଟର୍ କରାଯାଇଥିବା କୁହାଯାଇଛି । ଗତ ଶୁକ୍ରବାର ଦିନ କାନପୁର ନିଜ ଗାଁ ବିକ୍ରୁରେ ୮ ଜଣ ପୁଲିସକୁ ହତ୍ୟା କରି ଫେରାର ରହିଥିବା ବିକାଶ ଗତକାଲି ମଧ୍ୟପ୍ରଦେଶର ଉଜଇନସ୍ଥିତ ମହାକାଳ ମନ୍ଦିରରୁ ଧରାପଡ଼ିଥିଲା । ଆଜି ସକାଳୁ ତାକୁ କଡ଼ା ପୁଲିସ ପ୍ରହରା ଭିତରେ କାନପୁର ଅଣାଯାଉଥିବା ବେଳେ କାନପୁରଠାରୁ ୨୫ କିମି ପୂର୍ବରୁ ଏହି ଘଟଣା ଘଟିଛି ।
ୟୁପି ପୁଲିସ କହିବାନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ବିକାଶ ବସିଥିବା ଗାଡ଼ିଟି ଦୁର୍ଘଟଣା ହୋଇ ରାସ୍ତା କଡ଼ରେ ଓଲଟି ପଡିଥିଲା । ଏହି ସୁଯୋଗରେ ବିକାଶ ଜଣେ ସୁରକ୍ଷା କର୍ମୀଙ୍କ ହାତରୁ ବନ୍ଧୁକ ଛଡ଼ାଇ ଆଣିବା ସହ ଗୁଳି ବର୍ଷଣ କରି ଖସି ଯିବାକୁ ଉଦ୍ୟମ କରିଥିଲା । ମାତ୍ର ପୁଲିସ ତାକୁ ପାଲଟା ଗୁଳି କରିବାରୁ ସେ ଗୁରୁତର ଆହତ ହୋଇଥିଲା । ସ୍ଥାନୀୟ ଡାକ୍ତରଖାନା ନେବା ବାଟରେ ତାର ମୃତ୍ୟୁ ହୋଇଥିଲା । ଏନକାଉଣ୍ଟର୍ ରେ ୪ ପୁଲିସ କର୍ମୀ ଆହତ ହୋଇଥିବା ପୁଲିସ ଦାବି କରିଛି ।








